ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ନୂଆପଡା ଜିଲ୍ଲା ଭାରତର ଓଡିଶା ରାଜ୍ୟ ଅନ୍ତର୍ଗତ ଅଟେ |ଏହି ଜିଲ୍ଲା ଓଡିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ | ଏହା ୨୦ ଡ଼ିଗ୍ରୀ ରୁ ୨୧ ଡ଼ିଗ୍ରୀ ୫ ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ ୮୨ ଡ଼ିଗ୍ରୀ ୪୦ ପୂର୍ବ ଦ୍ରାଘିମା ରେ ଅବସ୍ଥିତ |ନୂଆପଡା ଜିଲ୍ଲାର ସୀମା ଉତ୍ତର ,ପଶ୍ଚିମ ଓ ଦକ୍ଷିଣ ଦିଗରେ ଛତିଶଗଡ ରାଜ୍ୟର ରାଇପୁର (ମହାସମୁନ୍ଦ) ଜିଲ୍ଲା ସହିତ ଲାଗିଛି ଏବଂ ଏହି ଜିଲ୍ଲାର ପୂର୍ବତଟକୁ ଓଡିଶାର ବରଗଡ ,ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାଗୁଡିକ ଅବସ୍ଥିତ |ଏହି ଜିଲ୍ଲାର ବିସ୍ତୃତି ପ୍ରାୟ ୩,୮୫୨ ବର୍ଗ କିମି ଅଟେ |ଏହି ଜିଲ୍ଲାର ପ୍ରଶାସନିକ ସଦରମହକୁମା ନୂଆପଡାଠାରେ ଅବସ୍ଥିତ । ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଜିଲ୍ଲା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକ ଅଂଶ ଥିଲା |ରାଜ୍ୟ ସରକାରର ବିଜ୍ଞାପନ ସଂଖ୍ୟା ଡି.ଆର.ସି -୪୪/୯୩/୧୪୨୧୮/ଆର ତାରିଖ ୨୭ ମାର୍ଚ୍ଚ ୧୯୯୩ ଅନୁଶାରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କଳାହାଣ୍ଡି ଜିଲ୍ଲାକୁ ଦୁଇ ଭାଗରେ ବିଭାଜିତ କରାଗଲା,ସେଗୁଡିକ ହେଲା କଳାହାଣ୍ଡି ଓ ନୂଆପଡା । ବର୍ତ୍ତମାନର ନୂଆପଡା ଜିଲ୍ଲା ଗୋଟିଏ ସବଡ଼ିଭିଜନ (ନୂଆପଡା), ପାଞ୍ଚଟି ତହସିଲ ଯଥା ନୂଆପଡା ,ଖଡ଼ିଆଳ ,କୋମନା ,ବୋଡେ଼ନ ଏବଂ ସିନାପାଲି ଏବଂ ପାଞ୍ଚଟି ବ୍ଲକ ଯଥା ନୂଆପଡା,ଖଡ଼ିଆଳ,କୋମନା,ବୋଡେ଼ନ ଓ ସିନାପାଲି କୁ ନେଇ ଗଠିତ |

ନୂଆପଡା ଜିଲ୍ଲାର ସମତଳ ଭୂମି ଗୁଡିକ ଏହାର ଦକ୍ଷିଣ ଦିଗକୁ ଅନେକ ଉଚ୍ଚ ନିଚ୍ଚ ପାହାଡ ଗୁଡିକ ଦ୍ୱାରା ଶୋଭାୟମାନ ।ଏହି ପାହାଡ ଗୁଡିକ ପଶ୍ଚିମ ଘାଟ ପର୍ବତମାଳାର ଅଂଶ ବିଶେଷ ଅଟେ | ଏହି ଅଞ୍ଚଳରେ ଅନେକ ମାଳଭୂମି ଅବସ୍ଥିତ ଯାହାର ଉଚ୍ଚତା କେତେକ ସ୍ଥାନରେ ୪୦୦୦ ଫୂଟରୁ ଅଧିକ ଏବଂ ଏ ଗୁଡିକ କ୍ରାନ୍ତୀୟ ତୃଣ ଦ୍ୱାରା ଆଚ୍ଛାଦିତ | ଏହି ମାଳଭୂମି ଗୁଡିକରେ ଅନେକ ଖଣିଜ ପଦାର୍ଥ ଯଥା ଲାଟେରାଇଟ ,ଗ୍ରାଫାଇଟ ଏବଂ ବକ୍ସାଇଟ ଗଛିତ ରହିଛି ।ଏହି ଉଚ୍ଚ ପାହାଡ ର ଗଡାଣିଆ ଅଂଶରେ ଥିବା ସମତଳ ଭୂମିରେ ଅନେକ ଘଞ୍ଚ ଶାଳବଣ ଦେଖାଯାଏ ।ଏହି ଜିଲ୍ଲର ଅରଣ୍ୟ ଗୁଡିକ ଖଡ଼ିଆଳ ପ୍ରଶାସନିକ ବନ ବିଭାଗ (ଖଡ଼ିଆଳ ଫରେଷ୍ଟ ଡଭିଜନ) ଦ୍ୱାରା ପରିଚାଳିତ ହୁଏ । ଜିଲ୍ଲାର ଅରଣ୍ୟ ଗୁଡିକୁ ମୁଖ୍ୟତଃ ଶାଳ ଅରଣ୍ୟ,ଶାଗୁଆନ ଅରଣ୍ୟ ଓ ମିଶ୍ରିତ ଅରଣ୍ୟରେ ଶ୍ରେଣୀଭୁକ୍ତ କରାଯାଇ ପାରେ।କେତେକ ଅଞ୍ଚଳରେ ଶାଗୁଆନ ଓ ବାଉଁଶ ଗଛ ର ଅରଣ୍ୟ ଦେଖାଯାଏ ।ଏହି ଅରଣ୍ୟଗୁଡିକ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ଅନ୍ତର୍ଭୁକ୍ତ | ନିର୍ମାଣ ଉପଯୋଗୀ କାଠଗଡ ବିଶେଷତଃ ଶାଳଗଛର କାଠଗଡ ଅରଣ୍ୟ ଜାତ ଦ୍ରବ୍ୟ ମଧ୍ୟରେ ମୁଖ୍ୟ ଉତ୍ପାଦନ ଅଟେ ।ଅନ୍ୟ ପ୍ରମୁଖ ଅରଣ୍ୟ ବୃକ୍ଷ ଗୁଡିକ ହେଲା ବିଜା ,ଅସନ, ବାନ୍ଧନ ଇତ୍ୟାଦି । ଜିଲ୍ଲାର ମୁଖ୍ୟ ଅରଣ୍ୟ ଜାତ ଦ୍ରବ୍ୟ ଗୁଡିକ ହେଲା କେନ୍ଦୁପତ୍ର,ଝାଡ଼ୁଘାସ ,ମହୁଲଫୁଲ ,ଟୋଲ , ଅନ୍ତିଆ ଛାଲି ଏବଂ ସବାଇଘାସ | ଏହି ଜିଲ୍ଲାରୁ ରାଜ୍ୟ ବାହାରକୁ ରପ୍ତାନି ହେଉଥିବା ପ୍ରମୁଖ ଦ୍ରବ୍ୟ ଗୁଡିକ ହେଲା କାଠଗଡ (ଟିମ୍ବର) ,ବାଉଁଶ ଏବଂ କେନ୍ଦୁପତ୍ର ଇତ୍ୟାଦି|

ନୂଆପଡା ଜିଲ୍ଲା ଅବିଭକ୍ତ କଳାହାଣ୍ଡି ଜିଲ୍ଲାରୁ ଅଲଗା ହୋଇ ୩,୮୫୨ ବର୍ଗ କିମି ପରିମିତ ଅଞ୍ଚଳକୁ ନେଇ ୧୯୯୩ ମସିହା ଏପ୍ରିଲ ୧ ତାରିଖ ରେ ଏକ ନୂତନ ଜିଲ୍ଲା ଭାବରେ ମାନ୍ୟତା ପାଇଲା | ୨୦୧୧ ମସିହାର ଜନଗଣନା ଅନୁସାରେ ଜିଲ୍ଲାର ମୋଟ  ଗ୍ରାମ ସଂଖ୍ୟା ୬୭୦ ଓ ଗ୍ରାମଗୁଡିକର ମୋଟ ଜନସଂଖ୍ୟା ୬,୧୦,୩୮୨ ଅଟେ | ଗ୍ରାମାଞ୍ଚଳର ଗୃହ ସଂଖ୍ୟା (ପରିବାର) ୧,୪୪,୨୯୯ ଅଟେ |ଏହି ଜିଲ୍ଲାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ସଂଖ୍ୟା ୯୯, ୪୬୫ ଯାହାକି ମୋଟ ଜନସଂଖ୍ୟା ର ୭୮% ଅଟେ | ପ୍ରଶାସନିକ ଦୃଷ୍ଟି କୋଣ ରୁ ଏହି ଜିଲ୍ଲା ରେ ମୋଟ ୧୩୧ ଗ୍ରାମପଞ୍ଚାୟତ ,୩ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୧୦ ଟି ଥାନା ଅଛି |ଜିଲ୍ଲାରେ ମୋଟ ଜନସଂଖ୍ୟାର ୧୩.୪୬% ଅର୍ଥାତ ୭୨,୧୫୯ ଜଣ ଅନୁସୂଚିତ ଜାତି (ହରିଜନ)ର ଏବଂ ଜନସଂଖ୍ୟା ର ୩୩.୮୦% ଅର୍ଥାତ ୨,୦୬,୩୨୭ ଜଣ ଅନୁସୂଚିତ ଜନଜାତି (ଆଦିବାସୀ )ଶ୍ରେଣୀ ର ଲୋକ ବସବାସ କରନ୍ତି |